Thursday , September 19 2019
Breaking News
Home / ବିଶେଷ / ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡିଆ ଆଇଏଏସ୍ ପି କେ ମିଶ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡିଆ ଆଇଏଏସ୍ ପି କେ ମିଶ୍ର

ଭୁବନେଶ୍ୱର, ୧୨/୦୯/୨୦୧୯(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ । ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଓଡିଆ ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି । ସମ୍ବଲପୁର ବାସିନ୍ଦା ଶ୍ରୀ ମିଶ୍ର ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ । ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି । ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି । ବିଶେଷ କରି କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି କ୍ଷେତ୍ର, ଭିତିଭୂମି ପାଇଁ ପୁଞ୍ଜି ଲଗାଣ ଏବଂ ନିୟାମକ ପ୍ରସଙ୍ଗ ଉପରେ ତାଙ୍କର ବ୍ୟାପକ ପରିଚାଳନାଗତ ଦକ୍ଷତା ରହିଛି । ଏହାଛଡା ତାଙ୍କର ଦୀର୍ଘ କ୍ୟାରିଅର ମଧ୍ୟରେ ନୀତି ନିର୍ଦ୍ଧାରଣ, କାର୍ଯ୍ୟକ୍ରମ ରୂପାୟନ, ପ୍ରକଳ୍ପପରିଚାଳନା ସହିତ ଗବେଷଣା ଏବଂ ଗବେଷଣା ଲବ୍ଧ ଜ୍ଞାନର ପ୍ରକାଶନ ମାଧ୍ୟମରେ ସେ ସ୍ୱତନ୍ତ୍ର ଜନ ପରିଚୟ ପାଇଛନ୍ତି । ନୀତି ନିର୍ଦ୍ଧାରଣ ଓ ଉତମ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅନୁଭୂତି ଯୋଗୁ ଡଃ ମିଶ୍ରଙ୍କୁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଉଚ୍ଚ ପଦ- ପଦବୀରେ କାର୍ଯ୍ୟ କରିବାର ଦକ୍ଷତା ରହିଛି । ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ, ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ପଦଭାର ଅନ୍ୟତମ । କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ସେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନ ଆରମ୍ଭ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଡଃ ମିଶ୍ର ମାନବ ସମ୍ବଳ ପରିଚାଳନା ବିଶେଷକରି ବରିଷ୍ଠ ପଦ-ପଦବୀରେ ନିଯୁକ୍ତି କ୍ଷେତ୍ରରେ ଅଭିନବ ଓ ସଂସ୍କାରମୂଳକ ପରିବର୍ତନ ଆଣିଛନ୍ତି । ଆନ୍ତର୍ଜାତିକ ସ୍ତରରେ ମଧ୍ୟ ତାଙ୍କର ଅନେକ ଗବେଷଣାତ୍ମକ ଓ ପ୍ରଶାସନିକ ଅନୁଭୂତି ରହିଛି । ବ୍ରିଟେନର ଇନଷ୍ଟଚ୍ୟୁଟ ଅଫ ଡେଭଲପମେଂଟ ଷ୍ଟଡିଜରେ ସେ ୪ ବର୍ଷ ଶୈକ୍ଷିକ ଓ ଗବେଷଣାତ୍ମକ କାର୍ଯ୍ୟ କରିଛନ୍ତି ।ଏହାଛଡା ତାଙ୍କର ଅନେକ ବିଶ୍ୱବ୍ୟାଙ୍କ ଓ ଏସୀୟ ଉନ୍ନୟନ ବ୍ୟାଙ୍କ ପ୍ରକଳ୍ପ ଲାଗି ବୁଝାମଣା ଓ ସେଗୁଡିକର ଫଳପ୍ରଦ କାର୍ଯ୍ୟାନ୍ୱୟନ, ଆନ୍ତର୍ଜାତିକ ସେମି-ଏରିଡ ଟ୍ରପିକ୍ସ ଶସ୍ୟ ଗବେଷଣା ପ୍ରତିଷ୍ଠାନର ପରିଚାଳନା ବୋର୍ଡର ସଦସ୍ୟ ଏବଂ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ବିଶେଷଜ୍ଞ ହିସାବରେ ଭାଗ ନେବାର ଅନୁଭୂତି ରହିଛି । ସମ୍ପ୍ରତି ଡଃ ମିଶ୍ରଙ୍କୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ୨୦୧୯ ମସିହାର ଜାତିସଂଘ ସାସାକାୱା ପୁରସ୍କାରରେ ସମ୍ମାନିତ କରାଯାଇଛି । ଡଃ ମିଶ୍ର ୧୯୭୦ ମସିହାରେ ତତକାଳୀନ ଗଙ୍ଗାଧର ମେହେର କଲେଜ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)ରୁ ଅର୍ଥନୀତି ବିଷୟରେ ସ୍ନାତକ (ଅନର୍ସ) ପାଠ୍ୟକ୍ରମରେ ପ୍ରଥମଶ୍ରେଣୀରେ ଉତୀର୍ଣ୍ଣ ହେବା ସହ ଅନ୍ୟାନ୍ୟ ବିଷୟରେ ଡିଷ୍ଟିଙ୍କସନ୍ ରଖିଥିଲେ । ସେତେବେଳେ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବାରେ ସେ ପ୍ରଥମ ଛାତ୍ର ଥିଲେ । ସମ୍ବଲପୁରରୁ କଲେଜ ଶିକ୍ଷା ସାରି ସେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରୁ ଅର୍ଥନୀତିରେ ପ୍ରଥମଶ୍ରେଣୀ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ଡଃ ମିଶ୍ର ସସେକ୍ସ ବିଶ୍ୱବିଦ୍ୟାଳୟରୁ ଡେଭଲପମେଂଟ ଇକୋନମିକ୍ସରେ ସ୍ନାତକୋତର ଡିଗ୍ରୀ ପାଇ ସେଠାରେ ପିଏଚଡି କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ …

Leave a Reply

Your email address will not be published. Required fields are marked *