Saturday , February 29 2020
Breaking News
Home / ସ୍ୱାସ୍ଥ୍ୟ / ପାଗଳା କୁକୁର ଗୋଡେଇ ଗୋଡେଇ ୨୦ଜଣଙ୍କୁ କାମୁଡ଼ି ରକ୍ତାକ୍ତ କଲା, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଂଜେକସନ୍ ମିଳୁନାହିଁ, ମୋ ସରକାର ଯୋଜନା ବିଫଳ

ପାଗଳା କୁକୁର ଗୋଡେଇ ଗୋଡେଇ ୨୦ଜଣଙ୍କୁ କାମୁଡ଼ି ରକ୍ତାକ୍ତ କଲା, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଂଜେକସନ୍ ମିଳୁନାହିଁ, ମୋ ସରକାର ଯୋଜନା ବିଫଳ

ସାଲେପୁର, ୧୦/୦୧/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା ) – ସାଲେପୁର ଅଂଚଳରେ ପାଗଳା କୁକୁର କାମୁଡ଼ାରେ ଗୋଟିଏ ଦିନରେ ୨୦ରୁ ଉଦ୍ଧ୍ୱର୍ ଲୋକ ରକ୍ତାକ୍ତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବାବେଳେ ସେଠାରେ କୁକୁର କାମୁଡ଼ା ଇଂଜେକସନ୍ ନମିଳିବାରୁ ରୋଗୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ପ୍ରକାଶ ଯେ ଗତକାଲି ରାତିରେ ହଠାତ୍ ଏକ ନାଲି ରଂଗର ପାଗଳା କୁକୁର ବୋଦାମୁଣ୍ଡାଇ ଗ୍ରାମରେ ପଶି ବିଜୟ କୁମାର ନାୟକଙ୍କୁ କାମୁଡ଼ି ରକ୍ତାକ୍ତ କରିଥିବାବେଳେ ସେଠାରୁ ଯାଇ ବାରିଗୋଳ ଗ୍ରାମରେ ୫ରୁ ଉଦ୍ଧ୍ୱର୍ ଲୋକଙ୍କୁ କାମୁଡ଼ି ରକ୍ତାକ୍ତ କରିଛି । ସେହିପରି ଆଜି ପ୍ରାତଃ ଭ୍ରମଣ କରୁଥିବା ରୋଧପୁର ଗ୍ରାମର ହରେକୃଷ୍ଣ ଚାନ୍ଦ(୭୨), ମାନି ବେହେରା(୪୫)ଙ୍କୁ କାମୁଡ଼ି ରକ୍ତାକ୍ତ କରିଥିବାବେଳେ ଚନ୍ଦ୍ରାଦେଇପୁର ଗ୍ରାମର କୃଷ୍ଣପ୍ରିୟା ସାହୁ(୫୦) ଓ ଅର୍ପ୍ରିତା ଭୂୟାଁ(୭)ଙ୍କୁ କାମୁଡ଼ି ରକ୍ତାକ୍ତ କରିଛି । ସେହିପରି ଆଜି ସକାଳ ପ୍ରାୟ ୧୦.୩୦ମି. ସମୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପାୟଲ ମହାନ୍ତି(୧୪) ସ୍କୁଲକୁ ଯିବା ନିମନ୍ତେ ସାଲେପୁର ଟ୍ରାଫିକ୍ ପୋଷ୍ଟ ନିକଟରେ ଛିଡା ହୋଇଥିବା ସମୟରେ ତାଙ୍କୁ ମଧ୍ୟ କାମୁଡ଼ି ରକ୍ତାକ୍ତ କରିଛି । ସେହିପରି କୁସମ୍ବୀ ଗ୍ରାମର ରାମକୃଷ୍ଣ ସାହୁ(୪୫), ବୋଇଲର ସୁଧାକର ଦାସ(୩୩), ବଟେଶ୍ୱରର ଗୌରୀଶଙ୍କର ଦିକ୍ଷୀତ(୮), ସାଲେପୁର କୋର୍ଟର ଆଇନଜୀବୀ ରାମଚନ୍ଦ୍ର ସାହୁଙ୍କ ସମେତ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଏହି ପାଗଳା କୁକୁର କାମୁଡ଼ି ରକ୍ତାକ୍ତ କରିଛି । ଦୁଇଦିନ ହେବ ତିନିଖଣ୍ଡ ମୌଜାରେ ଏହି ପାଗଳା କୁକୁର ଆତଙ୍କ ଖେଳାଇଛି । ଏହି ପାଗଳା କୁକୁର ଭୟରେ ଲୋକମାନେ ଘରୁ ପଦାକୁ ବାହାରିବାପାଇଁ ସୁରକ୍ଷିତ ମଣୁନାହାଁନ୍ତି । ଯେଉଁ ବ୍ୟକ୍ତି ଘରୁ ପଦାକୁ ବାହାରୁଛି, ତାଙ୍କୁ ଏହି ପାଗଳା କୁକୁରର ଭୟ ଘାରିଛି । ପ୍ରାଣୀ ଚିକିତ୍ସା ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଏହି ପାଗଳା କୁକୁରକୁ ଆୟତ୍ତ କରିବାକୁ ଏହି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଅପର ପକ୍ଷରେ ଗୋଟିଏ ଦିନ ମଧ୍ୟରେ ଏହି ପାଗଳା କୁକୁର କାମୁଡ଼ାରେ ୨୦ରୁ ଉଦ୍ଧ୍ୱର୍ ରୋଗୀ ଆହତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବାବେଳେ ସେଠାରେ କୁକୁର କାମୁଡ଼ା ଇଂଜେକସନ୍ ନମିଳିବାରୁ ଏହି ରୋଗୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ବାଧ୍ୟ ହୋଇ ଏହି ରୋଗୀମାନେ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ଯାଇଥିବା ଜଣାଯାଇଛି । ସରକାର ପ୍ରତ୍ୟେକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାମୟ ଯୋଜନାରେ ଲୋକମାନଙ୍କୁ ବିନାମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବାବେଳେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାହାର ବ୍ୟତିକ୍ରମ ଘଟିଛି । ଦୀର୍ଘ ୬ମାସ ଧରି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଂଜେକ୍ସନ୍ ମିଳୁନଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ବହୁ ଦୂରଦୂରାନ୍ତରରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ା ଇଂଜେକସନ୍ ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ଇଂଜେକ୍ସନ୍ ନପାଇ ବାଧ୍ୟ ହୋଇ ବାହାରୁ ବିଭିନ୍ନ ମେଡ଼ିସିନ୍ ଷ୍ଟୋରରୁ କ୍ରୟ କରି ଦେଉଥିବା ଦେଖାଯାଇଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ା ଇଂଜେକସନ୍ ଯୋଗାଇଦେବାପାଇଁ ଦାବି ହୋଇଛି । ଓଡ଼ିଶା ସମାଚାର

 

About admin

Check Also

ଏସସିବିରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗ ରେ  ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ, ୨୨/୦୨/୨୦୨୦ (ଓଡ଼ିଶା ସମାଚାର)- ଏସ୍‌ସିବି ମେଡିକାଲ କଲେଜ୍ ଏଣ୍ଡ୍ ହସପିଟାଲ୍‌ରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗରେ ହାଇକୋର୍ଟ ନିଜ …

Leave a Reply

Your email address will not be published. Required fields are marked *