Friday , October 18 2019
Breaking News
Home / କୃଷି /    ଧାନରେ କାଣ୍ଡ ବିନ୍ଧା ରୋଗ ପୋକ,ଚିନ୍ତାରେ ଚାଷୀ 

   ଧାନରେ କାଣ୍ଡ ବିନ୍ଧା ରୋଗ ପୋକ,ଚିନ୍ତାରେ ଚାଷୀ 

ଗରଦପୁର ୧୨/୧୦/୨୦୧୯ (ଓଡ଼ିଶା ସମାଚାର)-ଶାରଦ ଧାନ ଫସଲରେ ଗତ କିଛି ଦିନ ହେଲା କାଣ୍ଡ ବିନ୍ଧା ରୋଗ ପୋକ ଆକ୍ରମଣ କରୁଥିବାରୁ ଚାଷୀକୂଳ ଚିନ୍ତାରେ ଏବେ ପଡିଯାଇଛନ୍ତି । ଏହି ରୋଗ ପୋକକୁ ଦମନ କରିବା ପାଇଁ ଚାଷୀମାନେ ଧାନ ଗଛରେ କୀଟନାଶକ ଔଷଧ ସିଂଚନ କରୁଥିବାର ଦେଖାଯାଉଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା ଓ ରୁଆ ବେଉଷଣ କାର୍ଯ୍ୟ ବିଳମ୍ବରେ କରାଯାଇଥିବା ବେଳେ,ରାସାୟନିକ ସାରର ପ୍ରୟୋଗ ମଧ୍ୟ ବିଳମ୍ବରେ କରାଯାଇଥିଲା । ଫଳରେ ଧାନ ଗଛଗୁଡିକ ଏବେ କଅଁଳ ହୋଇଥିବାରୁ ସେଥିରେ ରୋଗ ପୋକଗୁଡିକ  ଆକ୍ରମଣ କରୁଥିବାର କେତେକ ବରିଷ୍ଠ ଚାଷୀମାନେ ମତପ୍ରକାଶ କରିଛନ୍ତି । ଗରଦପୁର ବ୍ଲକର ବେଡାରୀ, ସୋଲପାଟ, ଦଳୁଆଣି, ଶ୍ରୀଚନ୍ଦନପୁର, ପରକଣା, ସିଙ୍ଗିଟିଆ, ଲେଖନପଡା, ଗୋତ୍ରବିଲ ଆଦି ଗ୍ରାମମାନଙ୍କରେ ରହିଥିବା  କେତେକ ଚାଷ ଜମିରେ ଏବେ କାଣ୍ଡବିନ୍ଧା ରୋଗ ପୋକ ଆକ୍ରମଣ କରିଛନ୍ତି । ଏହି ରୋଗ ପୋକ ଆକ୍ରମଣ କରିଥିବା ଧାନ ଗଛର ପତ୍ର ଗୁଡିକ ହଳଦିଆ ପଡି ଯାଇ କ୍ରମେ ଗଛଟି ମରିଯାଉଥିବାର ଦେଖାଯାଇଛି । ଯେଉଁ ଧାନଗଛବୁଦାରେ କାଣ୍ଡ ବିନ୍ଧା ରୋଗ ପୋକ ଲାଗୁଛି, ସେହି ଧାନବୁଦା  ଗଛଟିର କାଣ୍ଡଟି ସମ୍ପୂର୍ଣ୍ଣ ନଷ୍ଠ ହୋଇଯିବ  । ଧାନ ଗଛରେ ରୋଗ ପୋକ ଆକ୍ରମଣ କରିଥିବା  କେଣ୍ଡାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହିତ ସେହି ଗଛରୁ ଥୋଡ ବାହାରିଥିବା ଧାନ କେଣ୍ଡା ଗୁଡିକ କଣ୍ଠା ହୋଇଯିବ,ଫଳରେ ବହୁ ପରିମାଣରେ ଧାନଅମଳ କମିଯିବର ଆଶଙ୍କା ରହିଛି  । ଏହି ରୋଗ ପୋକ ଜମିରେ ଲାଗିବା ଆରମ୍ଭ କଲେ,ଏହା କ୍ରମେ କ୍ରମେ ସମଗ୍ର ଜମିରେ କରାଯାଇଥିବା ଧାନ ଗଛକୁ ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି । ଏଣୁ ଜମିରେ ଏହି ରୋଗପୋକ ଲାଗିବାର ପ୍ରଥମାର୍ଦ୍ଧରୁ ପ୍ରତିଷେଧକ ଔଷଧ ପ୍ରୟୋଗ କରିଲେ,ତାହା  କମିଯାଇଥାଏ ବୋଲି କୃଷି ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି । ଏହି ରୋଗ ପୋକ ଜମିରେ ଲାଗି ଥିବାରୁ ଚାଷୀ ମହଲରେ ଚିନ୍ତା ପ୍ରକଟ ହୋଇଛି । ଏ ସମ୍ପର୍କରେ ମାର୍ଶାଘାଇ କୃଷି ଜିଲା ଅଧିକାରୀ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରେ ସେ କହନ୍ତି ଯେ,କେତେକ ଚାଷୀମାନଙ୍କ ଠାରୁ ଧାନ ଗଛରେ କାଣ୍ଡ ବିନ୍ଧା ରୋଗ ପୋକ ଆକ୍ରମଣ କରିଥିବାର ଖବର ପାଇ ଗତ ସପ୍ତାହରେ ଗରଦପୁର ଓ ମାର୍ଶାଘାଇ ବ୍ଲକ ଅଂଚଳର କେତେକ ଚାଷଜିମକୁ ପରିଦର୍ଶନରେ ଯାଇଥିଲି । ସେଠାରେ କାଣ୍ଡ ବିନ୍ଧାରୋଗ ପୋକ ଆକ୍ରମଣ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଚାଷୀମାନଙ୍କୁ ପ୍ରତିଷେଧକ ଔଷଧ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ମାର୍ଶାଘାଇ ବ୍ଲକ ଓ ଗରଦପୁର ବ୍ଳକ ପାଇଁ ଗୋଟିଏ ଲେଖାଏଁ ସାର ଓ ଔଷଧ ଦୋକାନମାନଙ୍କରେ ଏହି ରୋଗର ପ୍ରତିଷେଧକ ଔଷଧ ଶତକଡା ୫୦ ଭାଗ ରିହାତି ଦରରେ ମିଳୁଛି । ତେଣୁ ଚାଷୀ ଭାଇମାନେ କାଣ୍ଡ ବିନ୍ଧା ଲାଗିଥିବା ଜମିରେ ତୁରନ୍ତ ରୋଗପୋକ ନିୟନ୍ତ୍ରଣ ଔଷଧ ବ୍ୟବହାର କରାଯିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ନବନିର୍ମାଣ କୃଷକ ସଂଗଠନର ପ୍ରସ୍ତୁତି ବୈଠକ, ୬ତାରିଖରେ ଅନୁଷ୍ଠିତ ହେବାକୁ ଥିବା  ରାଷ୍ଟ୍ରୀୟ ସମ୍ମିଳନୀରେ ସାଲେପୁରରୁ ୩ହଜାର କୃଷକ ଯୋଗଦେବେ

ସାଲେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ନଭେମ୍ବର ୬ ତାରିଖ ଦିନ ନବ ନିର୍ମାଣ କୃଷକ ସଂଗଠନର ଦ୍ୱିତୀୟ …

Leave a Reply

Your email address will not be published. Required fields are marked *