Sunday , December 8 2019
Breaking News
Home / କ୍ରୀଡ଼ା / ଦୂତୀଙ୍କ ନାଁରେ ଆଥଲେଟିକ ଟ୍ରାକ୍ – କିଟ ଓ କିସ ପକ୍ଷରୁ ଦୂତୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଦୂତୀଙ୍କ ନାଁରେ ଆଥଲେଟିକ ଟ୍ରାକ୍ – କିଟ ଓ କିସ ପକ୍ଷରୁ ଦୂତୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ଖୁବ ଶୀଘ୍ର ଭାରତୀୟ ଦ୍ରୁତ ଧାବିକା ଓ କିଟ ଛାତ୍ରୀ ଦୂତୀ ଚାନ୍ଦଙ୍କ ଏକ ଆଥଲେଟିକ ଟ୍ରାକ ନାମିତ ହେବ । ଏହି ଆଥଲେଟିକ ଟ୍ରାକ କାମ ସଂପୂର୍ଣ୍ଣ ହେବା ପରେ ଏହା ‘ଦୂତୀ ଚାନ୍ଦ ଆଥଲେଟିକ ଟ୍ରାକ’ ନାମରେନାମିତ କରାଯିବ ବୋଲି ମଙ୍ଗଳବାର କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଭବିଷ୍ୟତରେ କିଟ ଓ କିସ ପକ୍ଷରୁ ପ୍ରତିଷ୍ଠା କରାଯିବାକୁ ଥିବା ଆଥଲେଟିକ ଏକାଡେମିର ମୁଖ୍ୟ ଭାବେ ଦୂତୀଙ୍କୁ ଅବସ୍ଥାପିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି । ସେ କହିଥିଲେ ଏହା ହେଉଛି ଦୂତୀଙ୍କୁ କିଟ ଓ କିସର ସର୍ବଶ୍ରେଷ୍ଠ ଉପହାର । କିଟ ପରିସରରେ ତାଙ୍କୁ କିଟ ଓ କିସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଶ୍ରୀ ସାମନ୍ତ ଏହା ଘୋଷଣା କରିଥିଲେ । ଦୂତୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରେ ଶ୍ରୀ ସାମନ୍ତ କହିଲେ, ନିକଟରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ୩୦ତମ ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍ସ ୨୦୧୯ର ୧୦୦ ମିଟର ଦୌଡ଼ରେ ଦୂତୀ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ, ଓଡ଼ିଶା ତଥା କିଟ ଓ କିସ ପାଇଁ ସୁନାମ ଆଣିବା ସହ ଗୌରବାନ୍ୱିତ କରିଛନ୍ତି । ଦୂତୀ ଭାରତର ପ୍ରଥମ ଧାବିକା ଭାବେ ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍ସରେ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଏହି ଅବସରରେ କିଟ, କିସ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇ ଦୂତୀ କହିଲେ, ମୁଁ ଆଜି ଯେଉଁଠି ପହଂଚିଛି ଏବଂ ଯାହା ବି ହୋଇପାରିଛି ସେଥିପାଇଁ କିଟ, କିସ ଓ ଅଚ୍ୟୁତ ସାମନ୍ତଙ୍କ ସହଯୋଗ ପାଇ ସମ୍ଭବ ହୋଇପାରିଛି । ଭବିଷ୍ୟତରେ ଓଡ଼ିଶା ତଥା ଦେଶ ପାଇଁ ଆହୁରି ସୁନାମ ଆଣି ପାରିବି ବୋଲି ମୋର ଦୃଢ଼ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି ବୋଲି ଦୂତୀ କହିଥିଲେ । କାର୍ଯ୍ୟକ୍ରମରେ କିଟ ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ନାପୋଲିଠାରେ ନିଜର ଅନୁଭୂତି ଏବଂ ଦୂତୀଙ୍କ ସଫଳତା ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୂତୀଙ୍କ କୋଚ ଏନ ରମେଶ କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗୁରୁପୂର୍ଣ୍ଣିମା ହୋଇଥିବାରୁ ଦୂତୀ ଗୁରୁ ଏନ ରମେଶଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ । ଦୂତୀ ଭୁବନେଶ୍ୱରରେ ପହଂଚିବା ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବିରାଟ ପଟୁଆରରେ କିଟ କ୍ୟାମ୍ପସ କୁ ଅଣାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସେଂଟ ଜାଭିୟର୍ସ ପବ୍ଲିକ  ସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ତୃତୀୟ ବାର୍ଷିକ କ୍ରୀଡା ଆଜି ଉଦଘାଟିତ ହୋଇଯାଇଛି । ସ୍କୁଲ ର …

Leave a Reply

Your email address will not be published. Required fields are marked *