ଭୁବନେଶ୍ୱର,୦୬/୧୧/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ୫-ଟି ଆଧାରିତ ପରବହନ ସେବା ଯୋଗାଣକୁ ତ୍ୱରାନ୍ୱିତ କରାଯାଇଛି । ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫-ଟି କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନସଚିବ ଜି. ଶ୍ରୀନିବାସ୍ ସେବା ଯୋଗାଣ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଅଗ୍ରଗତି ସମୀକ୍ଷା କରି ଅଧିକରୁ ଅଧିକ ସେବାକୁ ଅନଲାଇନ୍ କରିବା ସହ ଲୋକଙ୍କର ଆରଟିଓ ଅଫିସକୁ ଦୌଡିବାର ଆବଶ୍ୟକତା କମାଇବା ପାଇଁ ମୁଖ୍ୟ ଶାସନ ସଚିବଶ୍ରୀ ତ୍ରିପାଠୀ ବିଭାଗଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଡ୍ରାଇଭିଂ ଲାଇସେନ୍ସ, ଗାଡି ପଞ୍ଜୀକରଣ ପ୍ରମାଣପତ୍ର, ଗାଡ଼ିର ମାଲିକାନା ପରିବର୍ତନ ଏବଂ ରାଜସ୍ୱ ଆଦାୟ ଆଦି ସେବାକୁ ଅନଲାଇନ୍ ମୋଡ୍ ରେସାଧାରଣ ସେବା କେନ୍ଦ୍ର(ସିଏସସି)ଙ୍କ ସହ ସଂଯୋଜିତ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ କହିଥିଲେ ଯେ ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ଯେକୌଣସି ସ୍ଥାନରୁ ଜଣେ ଯୋଗ୍ୟ ଆବେଦନକାରୀ ନିଜର ଇଚ୍ଛାଅନୁସାରେ ଯେକୌଣସି ଆରଟିଓ ଅଫିସକୁ ଲାଇସେନ୍ସ ପାଇଁ ଦରଖାସ୍ତ କରିପାରିବେ । ପ୍ରାଥମିକ ଲର୍ଣ୍ଣର ଲାଇସେନସ୍ ଓ ପରବର୍ତୀ ଅବସ୍ଥାରେ ଡ୍ରାଇଭିଂ ଲାଇସେନ୍ସ ଆଦି ପାଇଁ ଦେୟ ମଧ୍ୟଅନଲାଇନ ପୈଠ କରିପାରିବେ । ଏହା ଫଳରେ ଆରଟିଓ ଅଫିସ ଆସି ଆଉ ଧାଡିରେ ଠିଆହେବାକୁ ପଡ଼ିବ ନାହିଁ । ଏହି ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନାଗରିକ ଉପକୃତ ହେବେ ।ନୂଆଗାଡ଼ିର ପଞ୍ଜୀକରଣ, ଋଣ ବନ୍ଧକ ଏବଂ ବନ୍ଧକମୁକ୍ତ ସ୍ୱୀକୃତି, ଠିକଣା ପରିବର୍ତନ, ଫିଟନେସ୍ ପ୍ରମାଣପତ୍ର ଏବଂ ପଞ୍ଜୀକରଣ ନବୀକରଣ ଆଦି ବ୍ୟବସ୍ଥାକୁ ଅନଲାଇନକୁ ମୋଡରେ ସିଏସ୍ସିଙ୍କସହ ସଂଯୋଜିତ କରାଯିବ । ଏଥିରେ ଅନଲାଇନ୍ ଦସ୍ତାବିଜ୍ ଦାଖଲ ବ୍ୟବସ୍ଥା ମଧ୍ୟ ରହିବ ।ଏହାଦ୍ୱାରା ପ୍ରାୟ ୧୨ଲକ୍ଷ ଲୋକ ଉପକୃତ ହେବେ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀନିବାସକହିଥିଲେ । ସମସ୍ତ ପରିବହନ ସେବା ଦେୟକୁ ଅନଲାଇନରେ ପୈଠ ବ୍ୟବସ୍ଥା କରାଯାଇଛି ।ବର୍ତମାନ ସଗୃହୀତ ହୋଇଥିବା ରାଜସ୍ୱରୁ ପ୍ରାୟ ୬୫% ଅନଲାଇନରେ ମିଳୁଛି ବୋଲି ପରିବହନ ସଚିବ ଜଣାଇଥିଲେ । ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ଅନଲାଇନ ରାଜସ୍ୱ ସଂଗ୍ରହ ଭାଗକୁ ୯୦ପ୍ରତିଶତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଧେଶ ଦେଇଛନ୍ତି । ମାନ୍ଦାବସ୍ଥା ସତ୍ୱ୍ୱେ ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ମାସ ସେଷ ସୁଦ୍ଧା ୧୦୦୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା ।ଏହି ରାଜସ୍ୱର ପ୍ରାୟ ୮୦ ପ୍ରତିଶତ ଗାଡି ପଞ୍ଜୀକରଣ ଏବଂ ରୋଡ୍ ଟ୍ୟାକ୍ସ ବାବଦରେ ଆଦାୟହୋଇଛି ବୋଲି ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର ଜଣାଇଥିଲେ । ଓଡ଼ିଶା ସମାଚାର
