ଭୁବନେଶ୍ୱର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ସମସ୍ତ ପ୍ରସ୍ତୁତି ସାରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଏଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯକୃତ ପ୍ରତିରୋପଣ ସଂକ୍ରାନ୍ତରେ ସମୀକ୍ଷା ଅବସରରେ ମନ୍ତ୍ରୀ ଏହା କହିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ ଯକୃତ ପ୍ରତିରୋପଣ ନିମନ୍ତେ ତାଲିମପ୍ରାପ୍ତ ମାନବସମ୍ବଳ ଆସନ୍ତା ଏକମାସ ମଧ୍ୟରେ ବ୍ୟବସ୍ଥା ପାଇଁ କୁହାଯାଇଛି । ଏଥି ସହିତ ଆବଶ୍ୟକ ପଡୁଥିବା ମଡୁଲାର ଓଟି ଓ ଉପକରଣ ଆଦି ପ୍ରସ୍ତୁତ କରିବାଲାଗି ଦୁଇମାସ ସମୟ ଦିଆଯାଇଛି । ସମୀକ୍ଷା ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଯକୃତ ପ୍ରତିରୋପଣ ପାଇଁ ରାଜ୍ୟର ରୋଗୀମାନେ ଓଡିଶା ବାହାରେ ବ୍ୟାପକ ଖର୍ଚ୍ଚାନ୍ତ ହେଉଥିବାବେଳେ ଖୁବଶୀଘ୍ର ସେମାନଙ୍କୁ ରାଜ୍ୟ ଭିତରେ ଏହି ସୁବିଧା ଯୋଗାଇ ଦିଆପାରିବ ।
ପ୍ରକାଶ ଥାଉକି ୨୦୧୨ ମସିହାରୁ ଏସସିବିରେ ଯକୃତ ପତିରୋପଣ ୟୁନିଟ ଖୋଲିବାପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ । ସେ ସମ୍ପର୍କରେ ବିଶଦ ଆଲୋଚନା କରାଯାଇ ଏ କ୍ଷେତ୍ରରେ ଦେଖା ଦେଇଥିବା ଅଭାବ ଅସୁବିଧାକୁ ଦୂର କରାଯିବା ସହିତ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯେଭଳି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିବ ତାହା ଉପରେ ମନ୍ତ୍ରୀ ଶ୍ରୀ ଦାସ ଜୋର ଦେଇଛନ୍ତି । ରାଜ୍ୟ ଔଷଧ ନିଗମ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ନିଗମର ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଏସସିବିର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ମହାନ୍ତି, ଅଧ୍ୟକ୍ଷ ପ୍ରଫେସର ସି.ବି.କେ ମହାନ୍ତି, ବିଭାଗୀୟ ମୁଖ୍ୟ ପ୍ରଫେସର ଶରତ ଚନ୍ଦ୍ର ଜୟସିଂହଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସେହିଭଳି କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ କ୍ଷେତ୍ରରେ ଜମି ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହିସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିିଭୂମିର ବିକାଶ ବା ସମ୍ପ୍ରସାରଣ ସହିତ ନୂତନ ସ୍ୱାସ୍ଥ୍ୟ ଅନୁଷ୍ଠାନ ଖୋଲିବା ପାଇଁ ଜମିର ଯାହା ଆବଶ୍ୟକତା ରହିଛି ଓ ଯେଉଁ ଜମି ମିଳିଛି ତାହାକୁ ତୁରନ୍ତ ଦଖଲକୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବିଭାଗୀୟ ସଚିବଙ୍କ ସମେତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର
