ବାଲେଶ୍ୱର, ୧୬/୧୧/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଏନେଇ ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ଜିଲ୍ଲା ତାଲିମ ପ୍ରକୋଷ୍ଠରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଧୁମେହ ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ ସଂପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ବକ୍ତା ଭାବେ ଫକୀରମୋହନ ମେଡିକାଲ କଲେଜର ସହକାରୀ ପ୍ରାଧ୍ୟାପକ ଡା. ପ୍ରେମ କୁମାର ମହାନ୍ତି ଯୋଗ ଦେଇ ମଧୁମେହ ରୋଗ ଚିହ୍ନଟ ଓ ନିରାମକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହାର ଚିକିତ୍ସା, ଖାଦ୍ୟାଭ୍ୟାସ ପରିବର୍ତନ, ନିୟମିତ ବ୍ୟାୟାମ ଏବଂ ଏଥିପ୍ରତି ପରିବାରର ରହିଥିବା ଦାୟିତ୍ୱ ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଡା. ଏଶାଙ୍କ ଶେଖର ଚୌଧୁରୀ, ଡା. ପରେଶ ଚନ୍ଦ୍ର ନନ୍ଦୀ, ଡା. ସନ୍ଧ୍ୟାରାଣୀ ପଟ୍ଟନାୟକ, ଡା. ଗିରୀଶ ଚନ୍ଦ୍ର ପତି, ଡିପିଏମ ଅନୀଲ କୁମାର ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ରହି ଏହି ରୋଗର ଉପଚାର ଏବଂ ରୋଗୀର ଯତ୍ନ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ମଧୁମେହ ଦିବସ ପାଳନ ଅବସରରେ ସକାଳ ୮ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସେହିପରି ଦିବା ୯ ଘଟିକା ସମୟରେ ବରିଷ୍ଠ ନାଗରିକମାନଙ୍କର ମଧୁମେହ ପରୀକ୍ଷା କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଂଚ ସଭାପତି ବୈଦ୍ୟନାଥ ଷଡଙ୍ଗୀ, ସାଧାରଣ ସମ୍ପାଦକ ଲକ୍ଷୀ୍ମଧର ବେହେରାଙ୍କ ସମେତ ବିଷ୍ଣୁ ପ୍ରସାଦ ମହାନ୍ତି, ହରିଶ୍ଚନ୍ଦ୍ର ବେହେରା, ଦେବେନ୍ଦ୍ର ନାଥ ଚୌଧୁରୀ ଓ ଅନ୍ୟମାନେ ଏଥିରେ ଉପସ୍ଥିତ ଥିଲେ । ଆଜିର ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଏଏନଏମ ପ୍ରଶିକ୍ଷଣ କେନ୍ଦ୍ର ଛାତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱୟଂସେବୀ ଅନୁଷ୍ଠାନ କର୍ମକର୍ତାମାନେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ନରେଶ ଚନ୍ଦ୍ର ଦାସ ଓ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜ ଏହାର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
