Tuesday , July 16 2019
Home / କୃଷି / ଖରିଫ ଧାନଚାଷ କାର୍ଯ୍ୟ ଆରମ୍ଭ

ଖରିଫ ଧାନଚାଷ କାର୍ଯ୍ୟ ଆରମ୍ଭ

ନିଶ୍ଚିନ୍ତକୋଇଲି, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ଗତ କିଛିଦିନ ହେବ ଲଘୁଚାପ ପ୍ରଭାବରେ ବର୍ଷାହେବାରୁ ଖାଲୁଆ ଚାଷ କ୍ଷେତରେ ପାଣି ଜମି ରହିଥିଲା । ବହୁପୂର୍ବରୁ ନିଜ ବୋରିଂ ପଏଂଟଦ୍ୱାରା ଜଳ ଉଠାଇ ତଳି ପକାଇଥିବା ଚାଷୀ ଚଳିତ ଖରିଫଋତୁ ପାଇଁ ଧାନ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । କେବଳ ଖାଲୁଆଜମିରେ ବର୍ଷା ଜଳ ରହିଥିବାରୁ ଚାଷୀମାନେ ତଳି ଓପାଡି ରୁଆପୋତା କାର୍ଯ୍ୟ କରୁଛନ୍ତି । କ୍ଷେତରେ ଅଧିକ ପାଣି ରହୁ ନଥିବାରୁ ଶୁଖିଲା ଜମିରେ ପଡିଥିବା ପୁଞ୍ଜିଧାନ ଓ ବୁଆଧାନର ବେଉଷଣ କାର୍ଯ୍ୟ କରାଯାଇ ପାରୁ ନାହିଁ । ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଶତକଡା ଅଶୀ ଭାଗ ଚାଷୀ ଅଦ୍ୟାବଧି ତଳି ପକାଇ ନାହାଁନ୍ତି । କୋଡିଏ ଭାଗ ଚାଷୀ ସେମାନଙ୍କ ଖାଲୁଆଜମିରେ ଧାନ ତଳି ରୁଆପୋତା କାର୍ଯ୍ୟ କରୁଥିଲେ ମଧ୍ୟ ଅନ୍ୟ ଚାଷୀମାନେ ସଠିକ ସମୟରେ ବିହନ ନ ପାଇବା ଏବଂ ଠିକ ସମୟରେ ବର୍ଷା ନହେବାରୁ ଧାନ ତଳି ପକାଇ ପାରି ନାହାଁନ୍ତି । ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁ ବହୁ ଚାଷୀ ଏବେ ବିହନ ସଂଗ୍ରହ କରି ଧାନଚାଷ ପାଇଁ ତଳି ଘେରା ପ୍ରସ୍ତୁତି କରି ତଳି ପକାଉଥିବା ଦେଖାଯାଇଛି । ଖରିଫଋତୁ ଧାନ ଚାଷ ପାଇଁ  କେନ୍ଦ୍ରାପଡା ମୁଖ୍ୟ କେନାଲରେ କମ ପାଣି ଛଡା ଯାଇଥିବାରୁ ଅଦ୍ୟାବଧି କୌଣସି ଶାଖା କେନାଲରେ ପାଣି ଆସି ନାହିଁ । ଅପରପକ୍ଷରେ ଠିକାଦାରମାନେ ଏବେ ଏକ୍ସାବେଟର ସହାୟତାରେ ଶାଖା କେନାଲଗୁଡିକୁ ସଫେଇ କରୁଛନ୍ତି । ଶାଖା କେନାଲଗୁଡିକର ସଫେଇ କାର୍ଯ୍ୟ ନହେଲା ପର୍ଯ୍ୟନ୍ତ ପାଣି ଛଡା ଯାଇପାରିବ ନାହିଁ ବୋଲି ଜଣାଯାଇଛି । କେନ୍ଦ୍ରାପଡା ମୁଖ୍ୟ କେନାଲର ତଳମୁଣ୍ଡରେ ପାଣି ପହଞ୍ଚିଲା ପରେ ଶାଖା କେନାଲରେ ପାଣି ଛଡାଯିବ ବୋଲି ଜଣାଯାଇଛି । ବହୁ ଚାଷୀ ତଳି ପକାଇବା ପାଇଁ ଓ ଢିପ ଚାଷଜମିକୁ ରୁଆପୋତା କରିବାକୁ କେନାଲ ପାଣିକୁ ଅପେକ୍ଷା କରିଥିବା ବେଳେ ଶାଖା କେନାଲରେ ପାଣି ନଆସିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ତୁରନ୍ତ ଶାଖା କେନାଲରେ ପାଣି ଛାଡିବାକୁ ଚାଷୀମାନେ ଜଳସେଚନ ବିଭାଗର ପଦସ୍ଥ ଅଧିକାରୀଙ୍କଠାରେ ଦାବି କରିଛନ୍ତି । ଶାଖା କେନାଲରେ ପାଣି ଆସିଲେ ଚଳିତ ଖରିଫ ଋତୁ ଧାନ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହି ବ୍ଲକ ଅଞ୍ଚଳରେ ମୋଟ ୧୨ ହଜାର ୯୫୦ ହେକ୍ଟର ଚାଷଜମିରେ ଧାନଚାଷ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ମୌସୁମିଜନିତ ବର୍ଷାରେ ଅଦ୍ୟାବଧି ପ୍ରତ୍ୟେକ ପଂଚାୟତରେ ମାତ୍ର ୫ଭାଗ ଖାଲୁଆ ଜମିରେ ଧାନଚାଷ ଆରମ୍ଭ କରାଯାଇଥିବା କୃଷି ବିଭାଗପକ୍ଷରୁ ଜଣାଯାଇଛି । ଏହି ବ୍ଲକର ନତକାଇ ପଂଚାୟତର ଅଗ୍ରଣୀଚାଷୀ  ଙ୍କ ସମେତ ଅନ୍ୟ ପଂଚାୟତର ବହୁ ଚାଷୀ ସେମାନଙ୍କ ଖାଲୁଆଜମିରେ ଧାନ ରୁଆ ପୋତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥି ପ୍ରତି ସରକାର ଦୃଷ୍ଟି ନଦେଲେ ଚଳିତବର୍ଷ ଚାଷ କାର୍ଯ୍ୟ ବହୁ ପଛେଇ ଯିବା ସହିତ ଅମଳରେ ବାଧା ପ୍ରାପ୍ତ ହେବାର ସମ୍ଭାବନା ଦେଖାଦେଇପାରେ  । ଓଡ଼ିଶା ସମାଚାର

About admin

Check Also

ସଚେତନତାର ଅଭାବ,କୃଷି ପ୍ରତି ଯୁବପିଢି ବିମୂଖ

– ଜଳସେଚନ ଓ ଜଳ ନିଷ୍କାସନ ମୂଖ୍ୟ ସମସ୍ୟା ପାଟକୁରା ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାର କୃଷି ଓ କୃଷକର …

Leave a Reply

Your email address will not be published. Required fields are marked *