Tuesday , August 20 2019
Breaking News
Home / କୃଷି / କୃଷି ଶ୍ରମିକ ଅଭାବ , ଚାଷ କାର୍ଯ୍ୟ ବିଳମ୍ବିତ

କୃଷି ଶ୍ରମିକ ଅଭାବ , ଚାଷ କାର୍ଯ୍ୟ ବିଳମ୍ବିତ

ଗରଦପୁର, ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷ ବର୍ଷା ବିଳମ୍ବରେ ହୋଇଥିବାରୁ ଚାଷ କାର୍ଯ୍ୟ କିଛିଟା ପଛେଇ ଯିବାର ଜଣାଯାଇଛି । ବିଳମ୍ବରେ ମୌସୁମୀ ଆସିବା ଏବଂ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀ ଏବେ ଚାଷ କାର୍ଯ୍ୟ ପାଇଁ ତରବର ହେଉଥିବା ବେଳେ, କୃଷି କ୍ଷେତ୍ର ପାଇଁ କୃଷି ଶ୍ରମିକ ମାନଙ୍କର ଅଭାବ ଏକ ପ୍ରମୁଖ ଚିନ୍ତାର କାରଣ ହୋଇଛି । ବିଳମ୍ବରେ ବର୍ଷା ହେଲେ ମଧ୍ୟ ଚାଷୀ ଚାଷ କାର୍ଯ୍ୟ କରିବାକୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି । କୃଷି ବିଭାଗ ମାଧ୍ୟମରେ କେତେକ ଡିଲର ଓ ସୋସାଇଟି କୁ ବିହନ ଆସିଥିଲା , ତାହା ବ୍ୟତିତ ଚାଷୀଙ୍କ ପାଖରେ କିଛି ପୂରୁଣା ବିହନ ଥିଲା । ସେହି ବିହନରେ ଚାଷୀ ଜମିରେ ତଳି ପକାଇବା ଓ ଧାନ ବୁଣାବୁଣି କାମ ସାରିଛନ୍ତି । ଦୀର୍ଘ ସମୟ ଧରି ଟାଣ ଖରା ହୋଇଥିବାରୁ ଚାଷ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଏହି ଅଂଚଳରେ ଜଳ ସେଚନର କୌଣସି ସୁବିଧା ନ ଥିବାବେଳେ,କାଁ ଭାଁ କେତେକ ସ୍ଥାନରେ ଉଠା-ଜଳସେଚନ ପ୍ରକଳ୍ପ ରହିଛି ଯାହାକି ସେଗୁଡିକ ପାଣି ପଂଚାୟତକୁ ହସ୍ତାନ୍ତର କରାଯାଇଥିଲେ ସୁଦ୍ଧା ସେହି ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଏବେ ବର୍ଷା ହୋଇଛି , କିନ୍ତୁ ପ୍ରକୃତ ସମସ୍ୟା ଦେଖାଦେଇଛି କୃଷି ଶ୍ରମିକମାନଙ୍କୁ ନେଇ । ଗାଁରେ ଆଉ କୃଷି ଶ୍ରମିକ ପୂର୍ବ ଭଳି ପର୍ଯ୍ୟାପ୍ତ ଭାବରେ ମିଳୁ ନାହିଁନ୍ତି । ସରକାରଙ୍କର ଟଙ୍କିକିଆ ଚାଉଳ ସାଙ୍ଗକୁ ସରକାରଙ୍କର ବିଭିନ୍ନ ଯୋଜନା ଏବେ ଚାଷୀଙ୍କ ଚାଷ ପ୍ରତି ଏକ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିଛି ବୋଲି ବରିଷ୍ଠ ଚାଷୀମାନେ ପ୍ରକାଶ କରିଛନ୍ତି । ଜଣେ ଚାଷୀଙ୍କ କହିବା ଅନୁଯାୟୀ ବାରି ଘରେ କାମ କରିବା ପାଇଁ ଆଗରୁ ଶ୍ରମିକ ମିଳୁଥିଲେ ଏବ ମଜୁରୀ ମଧ୍ୟ ୩୦୦ ରୁ ୩୫୦ ମଧ୍ୟରେ ଥିଲା । ଏବେ ତାହା ବୃଦ୍ଧି ପାଇ ୩୫୦ ରୁ ୪୦୦ ଟଙ୍କାରେ ପହଂଚିଲାଣି । ଚାଷ କାର୍ଯ୍ୟ , ବାଡ ବୁଜା ଭଳି ଘରବାରି କାମ କଲେ ଯାହା ନେଉଛନ୍ତି ,ରାଜମିସ୍ତ୍ରୀଙ୍କ ପାଖରେ ରହି କାମ କଲେ ତାହା ଠାରୁ ଅଧିକ ଟଙ୍କା ନେଉଛନ୍ତି । ତେବେ ରାଜମିସ୍ତ୍ରୀଙ୍କ ପାଖରେ ରହି କାମ କରିବାକୁ ଯାହା ଯେମିତି ଶ୍ରମିକ ମିଳି ଯାଉଛନ୍ତି , କିନ୍ତୁ ଚାଷ କାମ କରିବାକୁ କେହି ଶ୍ରମିକ ରାଜି ହେଉ ନାହାଁନ୍ତି । ଯେଉଁଥି ପାଇଁ ଜମି ଥିବା ଲୋକେ ଏବେ ନିଜେ ଚାଷ କରିବା ପାଇଁ ବାଧ୍ୟ ହେଉଛନ୍ତି ,ନ ହେଲେ ଜମି ପଡିଆ ପଡିବାର ଆଶଙ୍କା ମଧ୍ୟ ରହିଛି । ଜଣେ ମଧ୍ୟ ବିତ ଶ୍ରେଣୀର ଚାଷୀ ପ୍ରକାଶ କରିଛନ୍ତି ଯେ,ସେମାନେ ଜମିରେ କାମ କରାଇବାକୁ ଶ୍ରମିକଙ୍କୁ ଡାକିଲେ ଆଉ କେହି ରାଜି ହେଉ ନାହାଁନ୍ତି । ଯଦି ମଜୁରୀ ଅଧିକ ଦେବାର ଲୋଭ ଦେଖାଯାଉଛି ,ତେବେ ଜଣେ ଦୁଇ ଜଣ ଶ୍ରମିକ ଆସୁଛନ୍ତି ,କିନ୍ତୁ ପରବର୍ତି ସମୟରେ ଏହେି ବର୍ଦ୍ଧିତ ମଜୁରୀକୁ କାର୍ଯ୍ୟକାରୀ କରାଯାଉଛି । ଏ ଭଳି ପରିସ୍ଥିତିରେ ଚାଷୀ ଚାଷ କାର୍ଯ୍ୟ କରାଇବାକୁ ଶ୍ରମିକ ନ ପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଟ୍ରାକ୍ଟର, ପାୱାରଟିଲର ଜମିକୁ ହଳ କରିଦେବ,କିନ୍ତୁ ତଳି ରୋଇବା, ବେଉଷଣ କରିବା,ସାର ଓ କିଟନାଶକ ଔଷଧ ସିଂଚନ କରିବା,ଫସଲ ଅମଳ କାର୍ଯ୍ୟ ପ୍ରଭୃତି କରିବା ପାଇଁ କୃଷି ଶ୍ରମିକ ଦରକାର ରହିଛି । ଅପର ପକ୍ଷରେ ଯେଉଁ କେତେକ ଅର୍ଦ୍ଧଶିକ୍ଷିତ ବେକାର ଯୁବକମାନେ ରହିଲେ ସେମାନେ ଅଧିକ ରୋଜଗାର କରିବା ଲକ୍ଷ୍ୟ ନେଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ଏପରି କ୍ଷେତ୍ରରେ ଆଗାମୀ କିଛି ବର୍ଷ ମଧ୍ୟରେ ଗ୍ରାମାଳରେ ଚାଷ କରିବା ପାଇଁ କୃଷି ଶ୍ରମିକମାନଙ୍କର ଘୋର ଅଭାବ ଦେଖାଦେବ ଏବଂ ଚାଷ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିବ । ଓଡ଼ିଶା ସମାଚାର

About admin

Check Also

ବନ୍ୟାପାଣି ମାଡ଼ିଯିବାରୁ  ପନିପରିବା ଚାଷ ବ୍ୟାପକ କ୍ଷତି

ସାଲେପୁର, ୧୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ଗତ ଦୁଇ ସପ୍ତାହ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବା ବେଳେ ମହାନଦୀରେ …

Leave a Reply

Your email address will not be published. Required fields are marked *