Tuesday , February 25 2020
Breaking News
Home / ସ୍ୱାସ୍ଥ୍ୟ / କରୋନା ସାଙ୍ଗକୁ ସ୍ୱାଇନ ଫ୍ଲୁ ଆତଙ୍କ – ଜଣେ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ – ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

କରୋନା ସାଙ୍ଗକୁ ସ୍ୱାଇନ ଫ୍ଲୁ ଆତଙ୍କ – ଜଣେ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ – ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ସନ୍ତୋଷଜନକ
କଟକ, ୦୮/୦୨/୨୦୨୦ (ଓଡ଼ିଶା ସମାଚାର)- କରୋନାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ସ୍ୱାଇନଫ୍ଲୁ ରୋଗୀ ଚିହ୍ନଟ ହେବା ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି । ଜଣେ ସ୍ୱାଇନଫ୍ଲୁ ରୋଗୀ ଚିହ୍ନଟ ହେବାପରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତିି କରାଯାଇଛି । ସମ୍ପୃକ୍ତ ରୋଗୀଙ୍କ ବୟସ ୩୦ ବର୍ଷ ଏବଂ ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି । କରୋନା ଓ ସ୍ୱାଇନ ଫ୍ଲୁ ଭଳି ମାରାତ୍ମକ ସଂକ୍ରାମକ ରୋଗର ଆକ୍ରାନ୍ତ ଏବଂ ସନ୍ଦିଗ୍ଧ ରୋଗୀ ବଡ଼ମେଡ଼ିକାଲରେ ଭର୍ତିିର୍ ହେବା ପରେ ମେଡ଼ିକାଲର ସ୍ଥିତି ଗମ୍ଭୀର ରହିଛି । ଗୋଟିଏ କୋଠାରେ ଯେହେତୁ ଚକ୍ଷୁ ବିଭାଗ ଏବଂ ଓପିଡ଼ି ସହ କରୋନା ଓ ସ୍ୱାଇନଫ୍ଲୁ ୱାର୍ଡ଼ ଖୋଲାଯାଇଛି, ତେଣୁ ଏହି ରୋଗର ଭୟାବହତା ଦୃଷ୍ଟିରୁ ସେହି ସ୍ଥାନକୁ ଆସୁଥିବା ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ କରୋନା ମୁକାବିଲା ପ୍ରସ୍ତୁତିକୁ ୩ ଜଣିଆ କେନ୍ଦ୍ରୀୟ ଟିମ୍ ନିରୀକ୍ଷଣ କରିଥିଲେ । ଏହି ଟିମ୍ ପ୍ରଥମେ ଭୁବନେଶ୍ୱର ବିମାନବନ୍ଦର, କ୍ୟାପିଟାଲ ହସ୍ପିଟାଲ ଏବଂ କଟକର ଏସସିବି ମେଡ଼ିକାଲ ଆସି କରୋନା ମୁକାବିଲା ନିମନ୍ତେ ହୋଇଥିବା ବ୍ୟବସ୍ଥା ର ସ୍ଥିତି ଅନୁଧ୍ୟାନ କରିଥିଲେ । ରୋଗୀଙ୍କ ନିମନ୍ତେ ଶଯ୍ୟା, ଆଇସିୟୁ ଏବଂ ମେଡିସିନ ସମ୍ପର୍କରେ ଯାଂଚ କରିଥିଲେ । ଏସସିବିରେ ବର୍ତମାନ ୭୪ଟି ଶଯ୍ୟା ସହିତ ଆଇସିୟୁର ବ୍ୟବସ୍ଥା ରହିଛି । ଓଡ଼ିଶାର କୌଣସି ସନ୍ଦିଗ୍ଧ କରୋନା ରୋଗୀଙ୍କର ପରୀକ୍ଷା ପରେ ପଜିଟିଭ ବହାରିନଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ଟିମକୁ ଅବଗତ କରାଇଥିଲା । ଏହି ଟିମ ୱାର୍ଡ ବୁଲିବା ସହିତ ହସ୍ପିଟାଲ କର୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ ଏବଂ ଡାକ୍ତରୀ ଦଳ ସହ ଆଲୋଚନା କରିଥିଲେ । ଏସସିବି ସହ ରାଜ୍ୟର ଅନ୍ୟସ୍ଥାନ ଗୁଡ଼ିକରେ କରୋନା ପାଇଁ ନିଆଯାଇଥିବା ପ୍ରତିଷେଧକ ବ୍ୟବସ୍ଥା ନେଇଏହି କେନ୍ଦ୍ରୀୟ ଟିମ ସନ୍ତୋଷ ପ୍ରକାଶ କରିବା ସହ ଆଉକେତେକ ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି ବୋଲି ଟିମ୍ ର ସଦସ୍ୟ ଡାକ୍ତର ଶିଖା ବର୍ଦ୍ଧନ କହିଛନ୍ତି । ବିଭିନ୍ନ ସ୍ଥାନ ବୁଲି ଏହି ଟିମ୍ ଅନୁଧ୍ୟାନ କରିବା ପରେ ଏହାର ରିପୋର୍ଟ ଖୁବ ଶୀଘ୍ରକେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ସେ କହିଥିଲେ । ଏହି ଟିମ୍ ରେ ଡାକ୍ତର ବର୍ଦ୍ଧନଙ୍କ ସହିତ ଡାକ୍ତର କପୁର ଚୌଧୁରୀ ଓ ଅନୁରାଧା ସୋଲାନିଆ ସାମିଲ ଥିଲେ । ଅନୁଧ୍ୟାନ ସମୟରେ ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଡାକ୍ତର ସୁଶାନ୍ତ କୁମାର କର ଏବଂ ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ଓ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଢେଙ୍କାନାଳ ଅଂଚଳରୁ ଆସିଥିବା ସ୍ୱାଇନଫ୍ଲୁ ରୋଗୀ ଏସସିବିରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଆଉ ୩ ଦିନ ରଖି ଚିକିତ୍ସା କରାଯିବା ପରେ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ୨ ତାରିଖରୁ ଯୁବକ ଜଣକ ଏଚ୍ ୧ ଏବଂ ଏନ୍ ୧ରୋଗ ସଂକ୍ରମଣରେ ଚିହ୍ନଟ ହୋଇ ଏକ ଘରୋଇ ଚିକିତ୍ସାଳୟରୁ ଏସସିବିକୁ ଆସିଥିଲେ । ୩ତାରିଖରେ ଏସସିବିରେ ପୁଣି ଥରେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ଆରଏମଆରସି ପରୀକ୍ଷାଗାରକୁ ପଠାଯାଇଥିଲା । ରିପୋର୍ଟରେ ତାଙ୍କ ସ୍ୱାବରେ ସ୍ୱାଇନ ଫ୍ଲୁ ସଂକ୍ରମଣ ଥିବା ଜଣାପଡ଼ିଥିଲା । ବର୍ତମାନ ସେ ପଲ୍ୟୁମନାରୀ ବିଭାଗ ନେତୃତ୍ୱରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ।ସାଧାରଣତଃ ଶୀତ ଦିନରେ ଏଭଳି ଫ୍ଲୁ ଦେଖାଯାଇଥାଏ । ତେଣୁ ଏଥିରେ ଆତଙ୍କିତ ନହୋଇ ଡାକ୍ତରଙ୍କ ପରାମର୍ଶ ନେବାକୁ ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

କେନ୍ଦ୍ରାପଡ଼ା ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସହରର …

Leave a Reply

Your email address will not be published. Required fields are marked *