Monday , December 9 2019
Home / ଶିକ୍ଷା / କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ଦାବି

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର ,୧୭/୧୧/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରଠାରେ ରାଜ୍ୟ ସଭାପତି ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟସଂଘ ତରଫରୁ କନିଷ୍ଠ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ତରଫରୁ କରାଯାଉଥିବା ଅଣଦେଖା ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି । ଯାହାକୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । କିନ୍ତୁ ସବୁଠାରୁ ବଡ଼ ଦୁଃଖ ବିଷୟ ହେଲା ଗୁଣାତ୍ମକ ଶିକ୍ଷା ଏବଂ ସଂସ୍କାର ଆବଶ୍ୟକ କରୁଥିବା ସରକାର ରାଜ୍ୟ ଶିକ୍ଷା ବ୍ୟବସ୍ଥାର ମୂଳ ମେରୁଦଣ୍ଡର ଶିକ୍ଷକମାନଙ୍କର ବିଭିନ୍ନ ଦାବିକୁ ଦୀର୍ଘଦିନ ଧରି ଅଣଦେଖା କରିଆସିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସଂଘ ଅଭିଯୋଗ କରିଛି । ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର କନିଷ୍ଠ ଶିକ୍ଷକ ଓ ଚୁକ୍ତିଭିତିିକ କନିଷ୍ଠ ଶିକ୍ଷକମାନଙ୍କର ଦରମା ବୃଦ୍ଧି ବିଷୟରେ ସରକାର ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀ, ଠିକା ଓ ଚୁକ୍ତି ଭିତିରେ ନିୟୋଜିତ କର୍ମଚାରୀଙ୍କ ସମେତ ଆଉଟ୍ସୋର୍ସିଂ ଭିତିରେ ନିଯୁକ୍ତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଦରମା ବୃଦ୍ଧି କରି ଖୁସି କରିଥିଲା ବେଳେ କ’ଣ ପାଇଁ ରାଜ୍ୟରେ କାର୍ଯ୍ୟରତ ୫୦ ହଜାରରୁ ଊଦ୍ଧ୍ୱର୍ କନିଷ୍ଠ ଶିକ୍ଷକମାନଙ୍କୁ ଅଣଦେଖା କରୁଛନ୍ତି ତା’ର କାରଣ ବୁଝାପଡ଼ୁନାହିଁ । କେନ୍ଦ୍ର ସରକାର ଚଳିତବର୍ଷ ପି.ଏ.ବି ବଜେଟ୍ ସ୍ଥିର କରି ପ୍ରାଥମିକ ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ୧୫ ହଜାର ଟଙ୍କା ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ୨୦ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ସ୍ଥିର କରି ରାଜ୍ୟ ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବା ପରିବର୍ତେ ନିଦାବିଷ୍ଣୁ ସାଜିଛନ୍ତି । ଏତଦ୍ବ୍ୟତୀତ ୯୨୩୦୦ ଚୁକ୍ତି ଭିତିିକ କନିଷ୍ଠ ଶିକ୍ଷକଙ୍କ ପାଇଁ କେନ୍ଦ୍ରଠାରୁ ଅନୁଦାନ ପାଉଥିଲା ବେଳେ ରାଜ୍ୟରେ କନିଷ୍ଠ ଶିକ୍ଷକଙ୍କ ସଂଖ୍ୟା ମାତ୍ର ୫୦ ହଜାର ଭିତରେ ସୀମିତ ରହିଛି । ତେଣୁ ଏ କ୍ଷେତ୍ରରେ ଦରମା ବୃଦ୍ଧିରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ ଅଭିଯୋଗ କରିଛନ୍ତି । ଏଥିନିମନ୍ତେ ସଂଘ ସରକାରଙ୍କୁ ଅନୁରୋଧ ଜଣାଇଛି । ସଂଘର ଏକମାତ୍ର ଦାବି ରହିଛି କନିଷ୍ଠ ଶିକ୍ଷକମାନଙ୍କର ଦରମା ୧.୧.୨୦୧୬ରିଖଠାରୁ କେନ୍ଦ୍ର ପ୍ରଦତ୍ତ ପି.ଏ.ବି. ଆଧାରରେ ପ୍ରଦାନ କରାଯିବା ସଙ୍ଗେସଙ୍ଗେ ୬ ବର୍ଷର ଠିକା ନିଯୁକ୍ତିକୁ ମୂଳ ଚାକିରୀରେ ଗଣନା କରାଯାଉ । ଏହି ଏକମାତ୍ର ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଂଘ ଅନୁରୋଧ କରିଛି । ଚଳିତ ବିଧାନସଭା ଅଧିବେଶନ ସମୟରେ ସରକାର ଏ ଦିଗରେ ବିଧିବଦ୍ଧ ଘୋଷଣା କରିବେ ବୋଲି ସଂଘ ଆଶାବାଦୀ ଅଛି । ଅନ୍ୟଥା କନିଷ୍ଠ ଶିକ୍ଷକମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଦାନାବାନ୍ଧି ପରବର୍ତୀ ସମୟରେ ବାଧ୍ୟହୋଇ ଆନ୍ଦୋଳନର ରୂପ ନେବ ବୋଲି ସଂଘ ସରକାରଙ୍କୁ ଜଣାଇଛି । ଏହି ବୈଠକରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ, ମହାସଚିବ ଅକ୍ଷୟ କୁମାର ପୃଷ୍ଟି, ଉପସଭାପତି ପଦ୍ମଲୋଚନ ଘଡ଼େଇ, ସାଙ୍ଗଠନିକ ସମ୍ପାଦକ ସୁଦୀପ୍ତ କୁମାର ପରିଡ଼ା, କୋଷାଧ୍ୟକ୍ଷ ମକର କେତନ ସାହୁ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ମହଲ, ଭୀମସେନ୍ ମହାରଣା ପ୍ରମୁଖ ଯୋଗଦେଇ ତୁରନ୍ତ ସରକାର କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ଘୋଷଣା କରନ୍ତୁ ବୋଲି ଦୃଢ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୋଷାକ ବିତରଣ ଉତ୍ସବ

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ …

Leave a Reply

Your email address will not be published. Required fields are marked *