Tuesday , July 16 2019
Home / କ୍ରୀଡ଼ା / ଏଫ୍ଆଇଏଚ୍ ମହିଳା ସିରିଜ୍ : ଚିଲିକୁ ହରାଇ ଫାଇନାଲ୍ରେ ଭାରତ

ଏଫ୍ଆଇଏଚ୍ ମହିଳା ସିରିଜ୍ : ଚିଲିକୁ ହରାଇ ଫାଇନାଲ୍ରେ ଭାରତ

ହିରୋସୀମା,୨୩/୦୬/୨୦୧୯ (ଓଡ଼ିଶା ସମାଚାର /ଏଜେନ୍ସି): ଏଠାରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସରେ ଭାରତ ତା’ର ବିଜୟଧାରା ଜାରି ରଖିଛି । ଦଳ ପୁଲ୍ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଶନିବାର ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ଚିଲିକୁ ୪-୨ ଗୋଲ୍ରେ ପରାସ୍ତ କରି ଟୋକିଓ ଅଲିମ୍ପିକ୍ସ ଚୂଡ଼ାନ୍ତ ରାଉଣ୍ଡ୍ କ୍ୱାଲିଫାୟର୍ରେ ଭାଗ ନେବା ସକାଶେ ଯୋଗ୍ୟତା ହାସଲ କରିଛି । ଏହି ମ୍ୟାଚ୍ରେ ଗୁରଜିତ୍ କୌର୍ ଦୁଇଟି ଗୋଲ୍ ଦେଇଥିବା ବେଳ ଅନ୍ୟ ଦୁଇଟି ଗୋଲ୍ ଅଧିନାୟିକା ରାନୀ ରାମପଲ୍ ଓ ନବନୀତ୍ କୌର୍ ସ୍କୋର୍ କରିଥିଲେ । ଭାରତ ଏହି ମ୍ୟାଚ୍ରେ ୦-୧ରେ ପଛୁଆ ଥିଲେ ମଧ୍ୟ ପ୍ରତ୍ୟାବର୍ତନ ପୂର୍ବକ ବିଜୟ ହାସଲ କରିଛି । ରବିବାର ଦଳ ଫାଇନାଲ୍ ମ୍ୟାଚ୍ । ବିଶ୍ୱର ନବମ ର‌୍ୟାଙ୍କ୍ ଦଳ ଭାରତ ପ୍ରଥମ ୧୫ ମିନିଟ୍ର ଖେଳରେ ୬ ଥର ପ୍ରତିପକ୍ଷ ଚିଲି ସର୍କଲ୍ ମଧ୍ୟରେ ପ୍ରବେଶ କରିଥିଲେ ମଧ୍ୟ କୌଣସି ଗୋଟିଏ ଉଦ୍ୟମକୁ ଗୋଲ୍ରେ ପରିଣତ କରିପାରି ନ ଥିଲା । ସେହିପରି ଷୋଡ଼ଶ ର‌୍ୟାଙ୍କ୍ ଦଳ ଚିଲି ମଧ୍ୟ ଭାରତ ସର୍କଲ୍ରେ ୪ ଥର ପ୍ରବେଶ କରିଥିଲା । କିନ୍ତୁ ଏହା ସତ୍ୱେ ପ୍ରଥମ ୧୫ ମିନିଟ୍ରେ କୌଣସି ଗୋଲ୍ ହୋଇପାରି ନ ଥିଲା । ଦ୍ୱିତୀୟ କ୍ୱାର୍ଟର୍ ପ୍ରାରମ୍ଭରେ ଭାରତକୁ ପଛୁଆ କରିଥିଲେ ଚିଲି ପକ୍ଷରୁ କ୍ୟାରୋଲିନା ଗାର୍ସିଆ । ତାଙ୍କୁ ଏହି ଗୋଲ୍ଟି ଦେବାରେ ସହଯୋଗ କରିଥିଲେ କୋନ୍ସୁଏଲୋ ଡି ଲାସ୍ ହେରାସ୍ । ଭାରତୀୟ ଡିଫେଣ୍ଡର୍ମାନେ ବଲ୍କୁ କ୍ଲିୟର୍ କରି ନ ପାରିବାରୁ ପ୍ରଥମ ଗୋଲ୍ ବରଣ କରିଥିଲେ । କିନ୍ତୁ ଭାରତୀୟ ଖେଳାଳିଙ୍କୁ ସ୍ଥିତି ସମାନ କରିବାକୁ ବେଶୀ ସମୟ ଲାଗି ନ ଥିଲା । ୨୨ତମ ମିନିଟ୍ରେ ଗୁରଜିତ୍ ଚିଲି ଗୋଲ୍କିପର୍ଙ୍କୁ ପରାସ୍ତ କରି ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଉଭୟ ଦଳ ୧-୧ରେ ବରାବର ରହିଥିଲେ । ତୃତୀୟ କ୍ୱାର୍ଟର୍ରେ ପ୍ରଥମ ମିନିଟ୍ରେ ଭାରତ ମ୍ୟାଚ୍ରେ ଅଗ୍ରଣୀ ଲାଭ କରିଥିଲା । ନବନୀତ୍ ଏହି ଗୋଲ୍ଟି ଦେଇଥିଲେ । ୬ ମିନିଟ୍ ପରେ ଅର୍ଥାତ୍ ମ୍ୟାଚ୍ର ୩୭ତମ ମିନିଟ୍ରେ ଭାରତକୁ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା ଓ ଏହାକୁ ଚିଲି ଗୋଲ୍ପୋଷ୍ଟ୍ରେ ପ୍ରବେଶ କରାଇ ଗୁରଜିତ୍ ନିଜର ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ତେବେ ଏହି କ୍ୱାର୍ଟର୍ର ଶେଷ ଭାଗରେ ଚିଲି ଦୁଇଟି ପେନାଲ୍ଟି କର୍ଣ୍ଣର୍ ପାଇଥିଲା । କିନ୍ତୁ ଦଳ ଏଥିରୁ କୌଣସି ଫାଇଦା ପାଇପାରି ନ ଥିଲା । ବରଂ ୪୩ତମ ମିନିଟ୍ରେ ଡେନିସ୍ କ୍ରିମର୍ମାନ୍ଙ୍କ ଶଟ୍କୁ ମାନୁଏଲା ଉରୋଜ୍ ଡିଫ୍ଲେକ୍ଟ କରି ଭାରତୀୟ ଗୋଲ୍ପୋଷ୍ଟ୍ ଭିତରେ ପ୍ରବେଶ କରାଇଥିଲେ । ଫଳସ୍ୱରୂପ ଭାରତ ତୃତୀୟ କ୍ୱାର୍ଟର୍ ଶେଷ ସୁଦ୍ଧା ୩-୨ରେ ଅଗ୍ରଣୀ ଲାଭ କରିଥିଲା । ଶେଷ କ୍ୱାର୍ଟର୍ରେ ଭାରତ ଅଧିକାଂଶ ସମୟରେ ବଲ୍କୁ ନିଜ କବ୍ଜାରେ ରଖିଥିଲା ଓ ୭ ଥର ଚିଲି ସର୍କଲ୍ରେ ପ୍ରବେଶ କରିଥିଲା । ୫୭ତମ ମିନିଟ୍ରେ ଓଡ଼ିଆ ଫରୱାର୍ଡ ଲିଲିମା ମିଞ୍ଜ୍ ଚିଲି ସର୍କଲ୍ରେ ପ୍ରବେଶ କରି ଅଧିନାୟିକା ରାନୀଙ୍କୁ ଏକ ପାସ୍ ଦେଇଥିଲେ । ରାନୀ ଏହାର ଫାଇଦା ନେଇ ଦଳ ପକ୍ଷରୁ ଚତୁର୍ଥ ଗୋଲ୍ ସ୍କୋର୍ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତର ଚତୁର୍ଥ ବିଜୟ

ସାଉଥାମ୍ପଟନ,୨୩/୦୬/୨୦୧୯ (ଓଡ଼ିଶା ସମାଚାର /ଏଜେନ୍ସି)- ଫାଷ୍ଟ ବୋଲର ମହମ୍ମଦ୍ ସାମିଙ୍କ ହ୍ୟାଟ୍ରିକ୍ ସହାୟତାରେ ୨ଥରର ଚାମ୍ପିଅନ୍ ଭାରତ ୧୧ ରନ୍ରେ …

Leave a Reply

Your email address will not be published. Required fields are marked *