Monday , February 24 2020
Home / ପର୍ଯ୍ୟଟନ ଓ ସଂସ୍କୃତି / ଏକାମ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ – ଲିଙ୍ଗରାଜଙ୍କ ନାଁରେ ଜମି, ଫଳକରେ ରହିବେ ଜମିଦାତା

ଏକାମ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ – ଲିଙ୍ଗରାଜଙ୍କ ନାଁରେ ଜମି, ଫଳକରେ ରହିବେ ଜମିଦାତା

ଭୁବନେଶ୍ୱର ,୨୯/୦୧/୨୦୨୦ (ଓଡ଼ିଶା ସମାଚାର)- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ବିକାଶ ଭଳି ଶ୍ରୀ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାମ୍ର ଯୋଜନାରେ ଥଇଥାନ ଏବଂ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ଅଂଚଳରେ ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ମନ୍ଦିର ଚତୁପାଶ୍ୱର୍ରେ ଥିବା ଅଂଚଳର ବିକାଶର ଲକ୍ଷ୍ୟ ନେଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଶ୍ରୀ ଲିଙ୍ଗରାଜ ମନ୍ଦିର ଏବଂ ବିନ୍ଦୁସାଗର ଅଂଚଳର ୬୫ ଏକର ପରିମିତ ଅଂଚଳରେ ଏହି ସୁବିଧା ସୁଯୋଗର ବିକାଶ କରାଯିବ । ସ୍ଥିତିବାନ ସତ୍ୱରେ ନିର୍ମିତ ବାସଗୃହଗୁଡ଼ିକୁ ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କିଣାଯାଇ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ଼ କରାଯିବ । ଏହା ବ୍ୟତୀତ ସରକାରଙ୍କ ନିୟମ ଅନୁଯାୟୀ ବାସଗୃହ ଏବଂ ଜମି ହରାଇ ଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ଏପରିକି ଜମି ବଦଳରେ ମଧ୍ୟ ଜମି ଯୋଗାଇ ଦିଆଯିବ । ବଜାର ଦରରେ ତତୁଲ୍ୟ କ୍ଷତିପୂରଣ ଦିଆଯିବ । ବିସ୍ଥାପିତ ହେବାକୁ ଥିବା ପରିବାର ଗୁଡ଼ିକୁ ପରିବହନ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କା ଦିଆଯିବ । ଜମି ଅଧିଗ୍ରହଣ ହେବା ଦିନଠାରୁ ବର୍ଷେ ପର୍ଯ୍ୟନ୍ତ ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ଘରଭଡ଼ା ସହାୟତା ଦିଆଯିବ । ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତା ଦିଆଯିବ । ସ୍ଥିତିବାନ ସତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକୁ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅନୁମୋଦିତ କରାଯିବ । ଦୋକାନଘର ମାଲିକମାନଙ୍କୁ ସେମାନଙ୍କର ପରିବହନ ଖର୍ଚ୍ଚ ଓ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଏକକାଳୀନ ଦିଆଯିବ । ୨୦୦ ବର୍ଗ ମିଟର କିମ୍ବା ତା’ଠାରୁ କମ୍ ବିଲ୍ଟ ଅପ୍ ଏରିଆ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବାଠାରୁ ଦୋକାନଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡ଼ା ସହାୟତା ଏବଂ ୨୦୦ ବର୍ଗ ମିଟର ବା ତଦୁର୍ଦ୍ଧ ବିଲ୍ଟ ଏରିଆ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ସୁଲଭତା ଭିତିରେ ବଜାର ଦର ୫୦ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ । ଦୋକାନ ଘର ଅବଶିଷ୍ଟ ୫୦ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ରିହାତି ଭାବରେ ବହନ କରିବେ । ଦୋକାନ ହରାଉଥିବା ବ୍ୟକ୍ତି ନିର୍ମିତ ହେବାକୁ ଥିବା ମାର୍କେଟ କମ୍ପେ୍ଲକ୍ସରେ ନୂଆ ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନେ ଏହାକୁ ବଜାର ଦରରେ ୫୦ ପ୍ରତିଶତ ମୂଲ୍ୟରେ କ୍ରୟ କରିପାରିବେ । ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ବାବଦରେ ନେଇପାରିବେ । ଏହା ବ୍ୟତୀତ ଉଠାଦୋକନୀମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା ହୋଇଛି । ତାଲିକାଭୁକ୍ତ ସବୁ ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଯୋଗାଇ ଦିଆଯିବ । ଦୁଇଟି କିସ୍ତିରେ ଏହି ସହାୟତା ପାଇବେ । ଆବଶ୍ୟକ ନିୟମ ଅନୁଯାୟୀ ଭେଣ୍ଡିଂ ପ୍ଲାନ କରାଯାଇ ଉଠାଦୋକାନୀ ମାନଙ୍କୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ଥାନ ଆବଂଟନ କରାଯିବ । ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଗୁଡ଼ିକୁ ସହାୟତା ଦେବାପାଇଁ ଗଠିତ କମିଟି ସ୍ଥିର କରିବ । ଖୋର୍ଦ୍ଧା ଜିଲ୍ଲାପାଳ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠ ଗୁଡ଼ିକୁ ଜମି ଆବଂଟନ, ସଂରକ୍ଷଣ ଆଦି କାର୍ଯ୍ୟ ସମ୍ପର୍କରେ ମହାନଗର ନିଗମ ସ୍ଥିର କରିବ । ଏହି ଥଇଥାନ ଓ ପୁନର୍ବାସ ନୀତି ଜିଲ୍ଲାପାଳଙ୍କ ସହ ଆଲୋଚନା କ୍ରମେ ନିଗମର କମିଶନ କାର୍ଯ୍ୟକାରୀ କରିବେ । ଏହି ଯୋଜନା ନିମନ୍ତେ ପାଣ୍ଠି ଭୁବନେଶ୍ୱର ମହାନଗର ନିଗମର କମିଶନରଙ୍କ ତତ୍ୱାବଧାନରେ ରହିବ । ୬ ମାସ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେଣୁ ଅଧିଗ୍ରହଣ ସୂଚନା ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ୱେଚ୍ଛାରେ ତାଙ୍କର ଜମି ପ୍ରଦାନ କରନ୍ତି ତେବେ ତାଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ବାବଦରେ ପ୍ରଦାନ କରାଯିବ । ଓଡ଼ିଶା ସମାଚାର

About admin

Check Also

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆସନ୍ତା ୭ …

Leave a Reply

Your email address will not be published. Required fields are marked *