ଚାଷ ଓ ଚାଷୀର ବିକାଶ ହୋଇ ପାରିଲେ ଦେଶ ସମୃଦ୍ଧିଶାଳି ହୋଇ ପାରିବ – –
ପାରାଦ୍ୱୀପ ୧୬/୧୧/୨୦୧୯(ଓଡ଼ିଶା ସମାଚାର)- ଚାଷୀମାନଙ୍କ ମତାମତକୁ ନେଇ କୃଷି ଭିତିିକ ଯୋଜନା ପ୍ରସ୍ତୁତି କରାଗଲେ ସେହି ଯୋଜନାଗୁଡିକ ସଫଳ ହେବ ବୋଲି ଆଜି ପାରାଦ୍ୱୀପସ୍ଥିତ ‘ଇଫକୋ’ପରିସର ମଧ୍ୟରେ ଥିବା ‘କୋର୍ଡଟ-ଇଫ୍କୋ’ ସଭାଗୃହରେ ଅନୁଷ୍ଠିତ ଅଗ୍ରଣୀ କୃଷକ ପ୍ରଶିକ୍ଷଣ ଶିବିରରେ ‘ଇଫକୋ’ ଅଧିକାରୀ ଓ ବରିଷ୍ଠ ସମବାୟବିତ୍ମାନେ ମତ ପ୍ରକାଶ କରିଛନ୍ତି । ରାଜ୍ୟରେ ୬୬ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଓ କୃଷକମାନଙ୍କୁ ପ୍ରଶିକ୍ଷଣ ଅବସରରେ ‘କୋର୍ଡଟ-ଇଫକୋ’ର ଅଧ୍ୟକ୍ଷ ସତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଦିଲ୍ଲୀ ଠାରେ ଥିବା ‘ଇଫକୋ’ କୃଷିସେବାର ମୂଖ୍ୟ ପରିଚଳକ ଡଃ. ଆର.ପି.ଏସ୍ ଯାଦବ ଯୋଗ ଦେଇ ‘ଇଫକୋ’ ବିଶ୍ୱରେ ଚାଷୀମାନଙ୍କୁ ସହଯୋଗ କରି ଆସୁଥିବା,ଜନ ସଂଖ୍ୟା ଦୃତ ଭାବରେ ବଢୁ ଥିବାବେଳେ,ଚାଷ ଜମିର ଦୃତ ଅବକ୍ଷୟ ହେବାରେ ଲାଗିଛି । ଏପରିସ୍ଥଳେ ଆଧୁନିକ ପଦ୍ଧତିରେ ରସାୟନିକ ଓ ଜୈବିକ ସାର,ଅଣୁସାର ବ୍ୟବହାର କରାଯାଇ ଚାଷ କରାଯାଇ ପାରିଲେ, ଆବଶ୍ୟକତାକୁ ମେଂଟାଯାଇ ବଳକା ଫସଲ ଉତ୍ପାଦିତ ହୋଇ ଦେଶ ସମୃଦ୍ଧିଶାଳି ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଚାଷ ଓ ଚାଷୀର ବିକାଶ ହୋଇ ପାରିଲେ ଦେଶର ବିକାଶ ସମ୍ଭବ ବୋଲି ଡଃ.ଯାଦବ ମତପ୍ରକାଶ କରିଥିଲେ । ବିଶିଷ୍ଟ ସମବାୟବିତ୍ ଅମିୟ କୁମାର ପଟ୍ଟନାୟକ ଯୋଗ ଦେଇ ଦେଶ ସ୍ୱାଧିନତା ପରେ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଦେଶରେ ପଂଚ ବାର୍ଷିକ ଯୋଜନା ଆରମ୍ଭ କରାଯାଇଥିଲା । ଏହି ପଂଚବାର୍ଷିକ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ନଦୀବନ୍ଧ ଯୋଜନା କରାଯାଇ ରାଜ୍ୟରେ ୩ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା । ୧୯୬୧ରୁ୬୭ ମଧ୍ୟରେ ଦେଶରେ ୩ୟ ଓ ୫ମ ପଂଚବାର୍ଷିକ ଯୋଜନାରେ ସିମିତ ଜମିରେ ଅଧିକ ଉତ୍ପାଦନକୁ ଲକ୍ଷ୍ୟ କରାଯାଇ ରସାୟନିକସାର ଉତ୍ପାଦନ କରାଯିବାକୁ ଯୋଜନା କରାଯାଇଥିଲା । ଏହି ସମୟରେ ‘ଇଫକୋ’ଜନ୍ମ ନେଇଥିଲା । ଓଡିଶାରେ ୭ ହଜାର କୋ-ଅପରେଟିଭ ସଂସ୍ଥା ରହିଥିବା,ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଚାଷୀ ପାଇପାରୁ ନ ଥିବା, ରାଜ୍ୟରେ ଥିବା ୬୧ ଲକ୍ଷ ହେକ୍ଟର ଚାଷ ଜମିର ବିକାଶ ପାଇଁ ଗୁରୁତ୍ୱ ଦିଆଯିବା,କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବା,ଅନିୟମିତା ଜଳବାୟୂର ପରିବର୍ତନ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ବୀମା ସହାୟତା,ଉତ୍ପାଦିତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରାଯିବା,ଚାଷୀମାନଙ୍କ ପାଇଁ ନିତୀ ପ୍ରଣୟନ କରାଯିବା ଆଦି କୃଷି କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ ୧୯୯୬ ମସିହାରେ ପ୍ରଥମେ କୃଷି ନିତୀ ପ୍ରଣୟନ କରାଯିବା ଓ ପରେ ୨୦୦୮,୨୦୧୩ରେ କୃଷି ନିତୀ ପ୍ରଣୟନ କରାଯାଇଥିବା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଠାରେ ଥିବା ‘ଇଫକୋ’ କମ୍ପାନୀର ରାଜ୍ୟ ମୂଖ୍ୟ ପରିଚାଳକ ସୌରଭ ଚାଟାର୍ଜୀ ଯୋଗ ଦେଇ ଜୈବିକ ସାରର ପ୍ରୟୋଗ କରାଯିବା,ନିୟମିତ ଭାବରେ ମାଟି ପରୀକ୍ଷା କରାଇବା, କ୍ଷେତରେ ରହିଥିବା ମାଟିର ଗୁଣବତା ସମ୍ପର୍କରେ ଜାଣିବା ଓ ଆବଶ୍ୟକ ପଦକ୍ଷେପ ନେବା ଆଦି ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ତିର୍ତୋଲ କୃଷି ଜିଲା ଅଧିକାରୀ ଆଶୋକ କୁମାର ମହାନ୍ତି ଯୋଗଦେଇ ସରକାର କୃଷକମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କରିଥିଲେ । ପାରାଦ୍ୱୀପ ‘ଇଫକୋ’ର ପ୍ଲାଂଟ ମୂଖ୍ୟ କ୍ଷୀରିନ୍ କୁମାର ପଟେଲ ଉପସ୍ଥିତ ରହି ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରାମଚନ୍ଦ୍ର ସ୍ୱାଇଁ , ନିରଞ୍ଜନ ମହାନ୍ତ ପ୍ରମୁଖ ଅଗ୍ରଣୀ ଚାଷୀମାନେ ଉପସ୍ଥିତ ରହି ଆଜିର ଦିନରେ ଅଣୁସାରର ବ୍ୟବହାର କରିବା ଫଳରେ ଫସଲ ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ପାଇଥାଏ ବୋଲି ଚାଷୀମାନଙ୍କୁ ତୁଳନାତ୍ମକ ଢଙ୍ଗରେ ବୁଝାଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ କେଉଁଝର, କେନ୍ଦ୍ରାପଡା, ବାଲେଶ୍ୱର, ଗଞ୍ଜାମ, ପୁରୀ,ଖୋର୍ଦ୍ଧା ଓ ନୟାଗଡ ଆଦି ଜିଲାମାନଙ୍କରୁ ୧୨୨ ଜଣ ଅଗ୍ରଣୀ ଚାଷୀମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ଓଡ଼ିଶା ସମାଚାର